25/04/2026
ଗଜିଆ ନନାଙ୍କ ଜଳଖିଆ ଦୋକାନ – ମଲ୍ଲିକାପୁର ଛକର ଜୀବନ୍ତ ଇତିହାସ
ମଲ୍ଲିକାପୁର ଛକ… ଆଜି ଯେଉଁଠାରେ ନୂଆ ନୂଆ ଦୋକାନ, ଗାଡ଼ିର ଭିଡ଼, ଚାରିଦିଗରେ ଚଞ୍ଚଳତା ଦେଖାଯାଏ, ସେହି ଛକର ଏକ ସମୟର ଆତ୍ମା ଥିଲା ଗୋଟିଏ ଛୋଟ ଜଳଖିଆ ଦୋକାନ। ବଉଳାଙ୍ଗ–ମଲ୍ଲିକାପୁର ରାସ୍ତା ପାଖରେ ବଡ଼ ବରଗଛ ତଳେ ଦାଁଡି ଥାଆନ୍ତି ଗଜିଆ ନନା—ଲମ୍ବା ଦେହ, ଦୃଢ଼ ଗଠନ, ମୁହଁରେ ସରଳ ହସ ଓ ସବୁଙ୍କ ପାଇଁ ଆପଣାପଣିଆ ସ୍ନେହ। ତାଙ୍କୁ ଦୂରରୁ ଦେଖିଲେ ମଧ୍ୟ ଲୋକ ଚିହ୍ନିଯାଉଥିଲେ।
ସେ କେବଳ ଜଳଖିଆ ବେପାରୀ ନୁହେଁଥିଲେ, ସେ ଥିଲେ ଜଣେ କଳାକାର। ରାନ୍ଧଣା ତାଙ୍କ ପାଇଁ କାମ ନୁହେଁ, ଏକ ପୂଜା ସମାନ ଥିଲା। ଜଗନ୍ନାଥଙ୍କ ଭକ୍ତ ବ୍ରାହ୍ମଣ ପରିବାରରୁ ଆସିଥିବାରୁ, ତାଙ୍କ ହାତରେ ଥିଲା ଶୁଦ୍ଧତା, ସ୍ୱାଦ ଓ ନିଷ୍ଠାର ମିଶ୍ରଣ। ସେତେବେଳେ ଗାଁ ଅଞ୍ଚଳରେ ଯେତେ ବଡ଼ ବଡ଼ ବିବାହ, ବ୍ରତ, ପୂଜା କିମ୍ବା ଭୋଜି ହେଉଥିଲା, ଗଜିଆ ନନାଙ୍କୁ ମୁଖ୍ୟ ରୋଷେଇଆ ଭାବରେ ଡାକାଯାଉଥିଲା।
ଗାଁର ବୟସ୍କ ଲୋକମାନେ ଆଜିବି କହନ୍ତି – “ଗଜିଆ ନନାଙ୍କ ବୋଇତାଳୁ ଘାଣ୍ଟ ଭଳି ସ୍ୱାଦ ଆଉ କେହି କରିପାରିବେନି।” ସେହି ଘାଣ୍ଟର ସୁଗନ୍ଧ ମାତ୍ରେ ଲୋକଙ୍କ ଭୋକ ବଢ଼ିଯାଉଥିଲା। ମସଲାର ସଠିକ ମାପ, ସବୁଜିର ମିଶ୍ରଣ, ହାତର ନିପୁଣତା—ସବୁକିଛି ମିଶି ସେ ଖାଦ୍ୟକୁ ଅମୃତ କରିଦେଉଥିଲେ।
ତାଙ୍କ ଦୋକାନ କେବଳ ଗାଁର ଲୋକଙ୍କ ପାଇଁ ନୁହେଁଥିଲା। ଧୋବଳ, ଧୁଷୁରୀ ଓ ଭଦ୍ରକ ପଟୁ ଆସୁଥିବା ଅନେକ ବେପାରୀ ମଧ୍ୟ ମଲ୍ଲିକାପୁର ଛକକୁ ଆସିଲେ ଗଜିଆ ନନାଙ୍କ ଦୋକାନରେ ନିଶ୍ଚୟ ଖାଇଯାଉଥିଲେ। ଦୂର ରାସ୍ତାର କ୍ଲାନ୍ତି, ବ୍ୟବସାୟର ଚାପ ଓ ଦିନଭରିର ଶ୍ରମ ପରେ, ନାନାଙ୍କ ଦୋକାନର ଗରମ ଘୁଗୁନି ଓ ଗୁଲୁଗୁଲା ସେମାନଙ୍କୁ ନୂଆ ଉର୍ଜା ଦେଉଥିଲା।
ସବୁଠାରୁ ବଡ଼ କଥା ହେଉଛି, ଗଜିଆ ନାନା ସମସ୍ତଙ୍କୁ ନିଜ ଲୋକ ଭାବୁଥିଲେ। ବୃଦ୍ଧାବସ୍ଥାରେ ମଧ୍ୟ ଯେ କୌଣସି ପୁରୁଣା ବେପାରୀ ଆସୁଥିଲେ, ସେ ହସି ହସି କହୁଥିଲେ – “ଆସ ଆମର ଲୋକ, ବସ… ପ୍ରଥମେ ଖାଇନିଅ।” ସେହି କଥାରେ ଥିଲା ମଜା, ସ୍ନେହ ଓ ଅପଣାପଣିଆ ଭାବ। ଏହି ସ୍ନେହ ପାଇଁ ଲୋକ ଦୋକାନକୁ ଆସୁଥିଲେ, କେବଳ ଖାଦ୍ୟ ପାଇଁ ନୁହେଁ।
ସେହି ଦୋକାନ କେବଳ ଜଳଖିଆ ଖାଇବା ଜାଗା ନୁହେଁଥିଲା, ସେ ଥିଲା ଗାଁର ମିଳନ ସ୍ଥଳ, ଖବର କାଗଜ, ଆଡ଼ା ଘର, ହସର ମଞ୍ଚ ଓ ସ୍ମୃତିର ଧନଭଣ୍ଡାର। ସକାଳେ ସୂର୍ଯ୍ୟ ଉଠିବା ପୂର୍ବରୁ ଗଜିଆ ନାନାଙ୍କ ଚୁଲ୍ହି ଜଳିଯାଉଥିଲା। ବରଗଛ ତଳୁ ଧୂଆଁ ଉଠୁଥିଲା, ଆଉ ସେଥିରୁ ଆସୁଥିବା ଘୁଗୁନିର ସୁଗନ୍ଧ ଲୋକଙ୍କୁ ଘରୁ ବାହାର କରି ଆଣୁଥିଲା।
ମୁଁ ମଧ୍ୟ 2000 ମସିହାରେ ପିଲାଦିନରେ ବଡ଼ଲୋକମାନଙ୍କ ମୁଖରୁ ଏହି ସବୁ କାହାଣୀ ଶୁଣିଛି। ସେମାନେ ଯେପରି ଭଲପାଇ କହୁଥିଲେ, ସେହି କଥା ଶୁଣି ମୁଁ ମଧ୍ୟ ଅନେକଥର ଗଜିଆ ନାନାଙ୍କ ଦୋକାନରେ ଖାଇଛି। ସେ ସ୍ୱାଦ ସହିତ ସେହି ଆପଣାପଣିଆ ଭାବ ଆଜି ମଧ୍ୟ ମନେ ଅଛି।
ସମୟ ବଦଳିଲା। ନୂଆ ଦୋକାନ ଆସିଲା, ଆଧୁନିକତା ବଢ଼ିଲା, ଲୋକଙ୍କ ଜୀବନଶୈଳୀ ବଦଳିଗଲା। ବୟସର ଭାରରେ ଗଜିଆ ନାନା ଦୋକାନ ବନ୍ଦ କରିଦେଲେ। କିଛି ବର୍ଷ ପରେ ସେ ଏହି ସଂସାର ଛାଡ଼ି ଚାଲିଗଲେ।
କିନ୍ତୁ ଆଜି ମଧ୍ୟ ଯେତେବେଳେ ମଲ୍ଲିକାପୁର ଛକରେ ବୟସ୍କ ଲୋକମାନେ ଏକଠା ହୁଅନ୍ତି, କଥା ଆରମ୍ଭ ହୁଏ – “ଆହା… ଗଜିଆ ନାନାଙ୍କ ଘୁଗୁନି, ଗୁଲୁଗୁଲା ଓ ବୋଇତାଳୁ ଘାଣ୍ଟର ସ୍ୱାଦ ଆଉ କେଉଁଠି?”
ବରଗଛ ହୋଇପାରେ ଆଜି ଶାନ୍ତ, ଚୁଲ୍ହି ନିରବ, କିନ୍ତୁ ସେହି ସ୍ଥାନର ମାଟିରେ ଆଜିବି ଗଜିଆ ନାନାଙ୍କ ପଦଚିହ୍ନ ରହିଛି।
**କେତେକ ଲୋକ ଦୋକାନ ଚଲାନ୍ତି, କେତେକ ଲୋକ ଇତିହାସ ଗଢ଼ନ୍ତି… ଗଜିଆ ନନା ସେମାନଙ୍କ ମଧ୍ୟରୁ ଜଣେ।**