ଭଦ୍ରକ ପୌରାଣିକ ଯୁଗର ପୋଥିପତ୍ରରେ ଉଲ୍ଲିଖିତ ଏକ ପ୍ରାଚୀନ ସହର। ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ। ଏହାର ପ୍ରାଚୀନତା ଧାମନଗରର ସପ୍ତମ ଓ ଅଷ୍ଟମ ଶତାବ୍ଦୀର ବୌଦ୍ଧ ଅବଶେଷରୁ ଜଣାପଡ଼େ। କୁପାରି ପାଖର ଶାରୀ-ଶୁଆ ବୌଦ୍ଧ ଗୁମ୍ଫା, ପାଳିଆର ରହସ୍ୟମୟ ବିରଞ୍ଚି ନାରାୟଣ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଅନ୍ୟ ଏକ ସୂର୍ଯ୍ୟପୂଜା ପୀଠ। ଧାମନଗର ନିକଟସ୍
ଥ ଗେଙ୍ଗୁଟି ନଦୀ କୂଳର ଗୋହୀରାଟିକିରି ଆଜି ବି ସ୍ୱାଧୀନତାପାଇଁ ଓଡ଼ିଆମାନଙ୍କର ଶେଷ ସଂଗ୍ରାମର ଚିହ୍ନ ବହନ କରେ, ଯେଉଁଠି ପରାସ୍ତ ରାଜା ମୁକୁନ୍ଦଦେବ ସନ ୧୫୬୮ ମସିହାରେ ଇହଲୀଳା ସମ୍ବରଣ କରିଥିଲେ।
୧୫୭୫ରେ ରାଜା ମାନସିଂହଙ୍କଦ୍ୱାରା ଆଫଗାନମାନେ ପରାସ୍ତ ହେଲାପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଭଦ୍ରକରେ ଅବସ୍ଥାପିତ ହୋଇଥିଲେ। ମୋଗଲ ଶାସନ କାଳରେ ଭଦ୍ରକ ବଙ୍ଗର ନବାବଙ୍କ ଅଧୀନରେ ଥିଲା। ମୋଗଲ ସତ୍ତାର ଅବସାନ ପରେ ଏ ଅଞ୍ଚଳ ହିନ୍ଦୁ କ୍ଷତ୍ରିୟମାନଙ୍କର ଶାସନାଧୀନ ହୋଇଥିଲା। ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ୧୮୦୪ରେ କଟକ ଓ ବାଲେଶ୍ୱରକୁ ଦୁଇଟି ପ୍ରଶାସନିକ ଖଣ୍ଡରେ ବିଭକ୍ତ କରାଯାଇଥିଲା। ୧୮୨୮ରେ ବାଲେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଭଦ୍ରକକୁ ଏକ ସବ୍-ଡିଭିଜନ୍ ବୋଲି ଘୋଷଣା କରାଗଲା। ଭଦ୍ରକରେ ସହାୟକ ମାଜିଷ୍ଟ୍ରେଟ୍ ବସୁଥିଲେ ବି ମୁନସିଫ କୋର୍ଟ ୧୯୦୧ ପର୍ଯ୍ୟନ୍ତ ଯାଜପୁରଠାରେ ଥିଲା।
ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଭଦ୍ରକ ଏକ ଅଗ୍ରଣୀ ଭୂମିକା ନିଭାଇଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ଏଠାରେ ଲଗାତାର ବର୍ଷେକାଳ କଚେରୀ ବର୍ଜନ କରାଯାଇଥିଲା। ୧୯୨୧ ମସିହା ମାର୍ଚ ମାସର ଶେଷ ସପ୍ତାହ ବେଳକୁ ଲୋକମାନଙ୍କ ଦେଶପ୍ରେମ ଓ ସଂଗ୍ରାମ ପ୍ରତି ସ୍ପୃହାରେ ଅଭିଭୂତ ହୋଇ ଗାନ୍ଧିଜୀ ଭଦ୍ରକ ଆସିଥିଲେ। ୧୯୨୨ରେ କନିକାର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ଯାହା ଅଳ୍ପସମୟପାଇଁ ଭଦ୍ରକରେ ଅବସ୍ଥାପିତ ହୋଇଥିବା ଇଂରେଜ ସେନା ବାହିନୀଙ୍କ ଚାପରେ ଧିମା ପଡ଼ିଯାଇଥିଲା, କିନ୍ତୁ ଚକ୍ରଧର ବେହେରାଙ୍କ ସଫଳ ନେତୃତ୍ୱରେ କନିକାର ଏଇ ବିଦ୍ରୋହ ବିଜୟଲାଭ କଲା। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନରେ ଭଦ୍ରକ ନିଜର ଦେଶପ୍ରେମ ଓ ବଳିଦାନର ପରିଚୟ ଦେଇଥିଲା। ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଏଇ ଆନ୍ଦୋଳନ ସରକାରଙ୍କ ଲୁଣ ଆଇନ୍ ଭଙ୍ଗ କରିଥିଲା ଓ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା। ମହାତ୍ମାଗାନ୍ଧୀ ଏହାଦ୍ୱାର ମୁଗ୍ଧ ହୋଇ ୧୯୩୪ରେ ପୁଣିଥରେ ଭଦ୍ରକ ଗସ୍ତ କରିଥିଲେ ଓ ମହତାବଙ୍କ ବାସ ଭବନରେ ରହିଥିଲେ। ସେତେବେଳେ ସେ ଜୀବରାମ ଆଶ୍ରମ (ନୂଆସାହି, ଆଶ୍ରମ, ଗାରଦପୁର)ର ହରିଜନମାନଙ୍କୁ ଭେଟିଥିଲେ। ଏ ସମୟରେ ଇରମ୍ର ବାଞ୍ଛାନିଧି ମହାନ୍ତି ନିଜର ଅଗ୍ନିବର୍ଷୀ, ଦେଶପ୍ରେମ ମୂଳକ ରଚନାଦ୍ୱାରା ଲୋକମାନଙ୍କୁ ଜାତୀୟତାର ଭାବନାରେ ଉଦ୍ବୁଦ୍ଧ କରୁଥିଲେ।